ଜାଣନ୍ତୁ ଏଥର , ମହାଶିବରାତ୍ରି /ଜାଗର ପୂଜା କରିବାର ସଠିକ୍‌ ବିଧାନ ଓ ଜାଣିବା କଥା

କିମ୍ବଦନ୍ତୀ :-
ମହାଶିବରାତ୍ରି/ଜାଗର

ମହାଶିବରାତ୍ରି / ଜାଗର

ମହାଶିବରାତ୍ରି କେବେ, ଏବଂ ପୂଜା କରିବାର ସଠିକ୍‌ ସମୟ

ଓଁ ନମଃ ଶିବାୟ

ଆଜି ଜାଣିବା ( ମହାଶିବରାତ୍ରି କେବେ, ଏବଂ ପୂଜା କରିବାର ସଠିକ୍‌ ସମୟ ) ସମ୍ବନ୍ଧରେ। 

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ବିଶେଷ ମହତ୍ତ୍ୱ ରହିଛି। ଦେଖିବାକୁ ଗଲେ ବାର ମାସ ରେ ୧୨ଟି ଶିବରାତ୍ରି ବ୍ରତ ପାଳନ ହୁଏ। ଫାଲଗୁନ୍ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି କୁ "ମହା ଶିବରାତ୍ରୀ" କୁହାଯାଏ । ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ, ଦିନ ଶିବରାତ୍ରି ପାଳନ କରାଯିବ।

ମାଘ କୃଷ୍ଣ  ଚତୁର୍ଦ୍ଦଶୀ ତିଥି ସବୁ ଶିବରାତ୍ରିମାନଙ୍କ ମଧ୍ୟ ରେ ସର୍ବ ପବିତ୍ର ତଥା ସର୍ବୋତ୍ତମ ବୋଲି କୁହାଯାଇଛି । ବ୍ରତୀ ସେଦିନ ଉପବାସ ରେ ରହି ରାତ୍ରି ର ଚାରି ପ୍ରହାର ରେ ୪ପ୍ରକାର ର ପୂଜା କରେ ।

ଶିବପୁରାଣ ଅନୁସାରେ, ଥରେ ମାତା ପାର୍ବତୀ, ବ୍ରହ୍ମ ଦେବ ଓ ଶ୍ରୀବିଷ୍ଣୁ; କେଉଁ ପୂଜା କରିବା ଫଳରେ ଶିବ ଅଧିକ ସନ୍ତୁଷ୍ଟ ହୁଅନ୍ତି ପଚାରିଲେ ! ମହାଦେବ ୧୦ଟି ପୂଜା ର ନାମ କହିଲେ; ଜନ୍ମଧ୍ୟରୁ "ମହାଶିବରାତ୍ରି" ସର୍ବୋତ୍ତମ ଓ ଶ୍ରେଷ୍ଠତମ ବୋଲି କହିଲେ । କୌଣସି ବ୍ୟକ୍ତି ମାଟି ରେ ପବିତ୍ର ଶିବ ଲିଙ୍ଗ ନିର୍ମାଣ କରି ଶିବପଞ୍ଚାକ୍ଷରି ମନ୍ତ୍ର "ଓଁ ନମଃ ଶିବାୟ" ଜପ ପୂର୍ବକ ଷୋଡଶ ଉପଚାର କରି ଶିବ ଆରାଧନ କରିପାରିବ। ଏହି ଶିବ ଆରାଧନା ରେ ଉକ୍ତ ପ୍ରତିମାଙ୍କୁ ପବିତ୍ରକରଣ କରାଯାଏ।
ମନ୍ତ୍ର :- 
ଓଁ ଅପବିତ୍ରଃ ପବିତ୍ରୋ ବା, ସର୍ବାବସ୍ଥାଂ ଗତୋ ପି ବା । 
    ଯଃ ସ୍ମରେତ୍ ପୁଣ୍ଡରୀକାକ୍ଷଂ, ସ ବାହ୍ୟାଭ୍ୟନ୍ତରଃ ସୂଚିଃ ॥     

❣️୧. ଏକ ମାଟି କିମ୍ବା ତମ୍ବା ପାତ୍ରରେ ପାଣି କିମ୍ବା କ୍ଷୀର ନେଇ ଶିବଲିଙ୍ଗ ଉପରେ ଢାଳନ୍ତୁ। ପବିତ୍ର ମୂର୍ତ୍ତି କୁ ବସ୍ତ୍ରାଦି ଦିଅନ୍ତୁ; ବେଲ ପତ୍ର, ଫୁଲ, ଚାଉଳ ଆଦି ଶିବ ଲିଙ୍ଗ କୁ ଅର୍ପଣ କରି, ଷୋଡଶ ଉପଚାର ରେ ପୂଜା କରନ୍ତୁ । ଭକ୍ତମାନେ ମଧ୍ୟ ସେମାନଙ୍କ ସୁବିଧା ଅନୁଯାୟୀ ଭଗବାନ ଶିବଙ୍କୁ ପୂଜା କରିପାରିବେ। ଏଥିରେ କୌଣସି ପ୍ରତିବନ୍ଧକ ନାହିଁ ।
❣️୨. ମହା ଶିବରାତ୍ରି ଦିନ ଶିବ ପୁରାଣ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।
 'ଓଁ ନମଃ ଶିବାୟ' ଜପ କରନ୍ତୁ।

------------------------------------------------------
ମହାଶିବରାତ୍ରି ଜାଗର ରେ ସୁନିଲ୍ ଆଚାର୍ଯ୍ୟ ଙ୍କ ବିଶେଷ 
--------  -----------------------
ଜାଗର। ଜାଗିବା ବା ଜାଗ୍ରତ ହେବା। ପ୍ରଶ୍ନ ଉଠେ,ଆମେ ସମସ୍ତେ ଜାଗ୍ରତ ନାଁ ସୁପ୍ତ। ଯଦି ଜାଗ୍ରତ କେଉଁଥିପାଇଁ ଜାଗ୍ରତ ? ଆମେ ଯଦି ଜାଗ୍ରତ ଅଛୁ,ତେବେ ଆମେ ଏତେ ଦୁଃଖ ଓ ଦୈନତା ଭିତରେ,ସମସ୍ୟା ଭିତରେ ଗତିଶୀଳ କାହିଁକି ?        

      ଉଜାଗର ହୋଇ ବ୍ରତୀ ଭାବରେ ସାଙ୍କେତିକ ଭାବରେ ଦୀପଟିଏ ଜାଳି  ହୃଦୟ ମନ୍ଦିରରେ ଆତ୍ମଜ୍ୟୋତିକୁ ଅନୁଭବ କରିବା ଓ ପ୍ରଜ୍ଜୋଳିତ କରିବା ଜାଗର ବ୍ରତ ର ମହତ୍ୱ ଅଟେ।ଦୀପ ର ଅଗ୍ନି ପରି ଦିପ୍ତିବନ୍ତ,ତେଜସ୍ଵୀ, ସ୍ୱାଭିମାନୀ ହେବା,  ତମସାକୁ ନିର୍ବାପିତ କରି ଜୀବନକୁ ବହ୍ନି ଶିଖା ପରି ଜାଗୃତ କରିବା ପାଇଁ ମହାଶିବରାତ୍ରି ସଂଦେଶ ଦେଇଥାଏ।
    ସେଦିନ ମହାଶିବରାତ୍ରି ପର୍ବ ପାଳନର ମହିମା ଓ ମହତ୍ୱ  ଜିଜ୍ଞାସା କରନ୍ତେ ଋଷିଗଣଙ୍କୁ ମହର୍ଷି ସନତ୍ କୁମାର ଜନୈକ କିରାତର  ପ୍ରସଙ୍ଗ ଉପସ୍ଥାପନ କଲେ।
   ଘନଘୋର ଅରଣ୍ୟ ମଧ୍ୟରେ ସପରିବାରେ ବସବାସ କରୁଥିବା ନିର୍ଦ୍ଦୟ ନିଷ୍ଟୁର କିରାତ ପଶୁଶୀକାର ଓ ପଥିକ ମାନଙ୍କୁ ମାରି ସମ୍ପଦ ଅପହରଣ ମାର୍ଗରେ ଜୀବିକା ନିର୍ବାହ କରୁଥିଲା। ଦିନେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ସମସ୍ତ ପ୍ରଚେଷ୍ଟା ସତ୍ତ୍ଵେ କୌଣସି ଶିକାର ନମିଳିବାରୁ ସ୍ୱଗୃହରେ କ୍ଷୁଧା ଜର୍ଜରିତ ଓ ଖାଦ୍ୟ ଅପେକ୍ଷିତ ପୁତ୍ର କନ୍ୟା ପତ୍ନୀ ଙ୍କ କଥା ଚିନ୍ତନ କରି ବ୍ୟାକୁଳିତ କିରାତ ଫେରିବା ବାଟରେ ସନ୍ଧ୍ୟା ସମୟରେ ପୁଷ୍କରିଣୀ ଟିଏ ଦେଖି ବିଚାର କଲା,ଏଠାକୁ ପଶୁମାନେ ନିଶ୍ଚିତ ଭାବେ ଜଳପାନ କରିବାକୁ ଆସିବେ ଓ ସେ ଏହାର ସୁଯୋଗ ନେଇ ଶୀକାର କରିପାରିବ।ଏହା ଭାବି କୂଳରେ ଥିବା ଏକ ବିଲ୍ବବୃକ୍ଷରେ ଆରୋହଣ କରି ଧନୂତୀର ଧରି ବସି ପଡିଲା।ସେ ବିଲ୍ବବୃକ୍ଷ ତଳେ ରହିଥିଲେ ସ୍ୱୟଂଭୁ ଶିବଲିଙ୍ଗ ଏବଂ ସେଦିନ ଥିଲା ମହାଶିବରାତ୍ରି। କିରାତ ବୃକ୍ଷ ରେ ଚଢିବା ସମୟରେ ତାର ଅଲକ୍ଷ୍ୟରେ ଏକ ବିଲ୍ବପତ୍ର ବୃକ୍ଷ ମୂଳରେ ଥିବା ଶିବଲିଙ୍ଗ ଉପରେ ପଡିଯାଇଥିଲା ଏବଂ କିରାତର ଅଜ୍ଞାତରେ ଶିବରାତ୍ରି ର ପ୍ରଥମ ପ୍ରହରର ପୂଜା ହୋଇଯାଇଥିଲା।
   ପୁଷ୍କରିଣୀ କୁ ଜଳପାନ ନିମନ୍ତେ ତୃଷାର୍ତ୍ତ ମୃଗଟିଏ ଆସନ୍ତେ ଖୁସିରେ କିରାତ ଧନୂରେ ତୀର ଚଢାଇଲା। ପ୍ରାଣରକ୍ଷା ନିମନ୍ତେ ମୃଗର ଆକୁଳ ପ୍ରାର୍ଥନା  ନସୁଣନ୍ତେ ମୃଗ ସତ୍ୟକଲା ଘରେଥିବା ତାର ପତ୍ନୀ, ପୁତ୍ର କନ୍ୟାକୁ ଟିକେ ଦେଖି ଫେରି ଆସିବାକୁ। ଅବିଶ୍ୱାସ କରୁଥିଲେ ମଧ୍ୟ ଶିବପୂଜା ର ପ୍ରଭାବରେ କିରାତ ହୃଦୟରେ ସାମାନ୍ୟ ଦୟାଭାବ ଉଦୟ ହେବାରୁ ସେ  ହରିଣକୁ ଶିଘ୍ର ଫେରି ଆସିବାକୁ କହି ବିଶ୍ୱାସ ରେ ଛାଡିଦେଲା।
   ଏପଟେ ବିପରୀତ ଦିଗରେ ହରିଣୀ ପୁଷ୍କରିଣୀ କୁ ପାଣି ପିଇବାକୁ ଚାଲି ଆସିଥିଲା। ଗୃହରେ ହରିଣୀ କୁ ନପାଇ ହରିଣ ତାକୁ ଏଣେତେଣେ ଖୋଜିବାକୁ ଲାଗିଲା।ମୃଗୁଣୀକୁ ଶୀକାର କରିବା ପାଇଁ କିରାତ ପ୍ରସ୍ତୁତ ହେବା ସମୟରେ ଏକ ବିଲ୍ବପତ୍ର ଆସି ପୁଣି ଶିବଲିଙ୍ଗ ଉପରେ ପଡିଲା। ଦ୍ୱିତୀୟ ପ୍ରହର ର ପୂଜା ହୋଇଗଲା।ମୃଗୁଣୀ ତାର ସ୍ୱାମୀ, ପୁତ୍ର କନ୍ୟାକୁ ଶେଷଥର ପାଇଁ ଦେଖାକରି ଆସିବାକୁ ସତ୍ୟକରନ୍ତେ ପୂଜା ପ୍ରଭାବରେ ତାକୁ ନିଶ୍ଚୟ ଫେରି ଆସିବୁ କହି ଛାଡି ଦେଲା।
   ପିତା ମାତା ଙ୍କର ଦୀର୍ଘ ଅନୁପସ୍ଥିତି କୁ ଦେଖି ମୃଗଶିଶୁ ପୁତ୍ର ସେମାନଙ୍କୁ ଖୋଜି ଖୋଜି ପୁଷ୍କରିଣୀ କୁ ଆସି ପାଣି ପିଇବାର ଉପକ୍ରମ କରିବା ପୂର୍ବରୁ  ତାକୁ ମାରିବା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟାଧ ଉପରେ ତାର ନଜର ପଡିଗଲା। ପତ୍ର ପଡିଯାଇଛି ଓ ତୃତୀୟ ପ୍ରହରର ଶିବପୂଜା ହୋଇ ଯାଇଛି। ଏପଟେ ମୃଗଶିଶୁ ର ସତ୍ ସଙ୍କଳ୍ପ। ହେ ବ୍ୟାଧ ମୁ ମୋର ପିତା ମାତା ଭଗ୍ନୀର ଶେଷ ଦର୍ଶନ କରି ନିଶ୍ଚୟ ଫେରି ଆସିବି। ଶିବପୂଜା ର ପ୍ରଭାବ ରେ ବ୍ୟାଧ ତାକୁମଧ୍ୟ ଛାଡିଦେଲା।
   ଚତୁର୍ଥ ପ୍ରହର। ମୃଗଶିଶୁ କନ୍ୟା ପିତା ମାତା ଓ ଭ୍ରାତା ଙ୍କୁ ଖୋଜି ଖୋଜି ତୃଷାର୍ତ୍ତ ହୋଇ ପୁଷ୍କରିଣୀ ନିକଟକୁ ଆସନ୍ତେ ବ୍ୟାଧ ର କୋପଦୃଷ୍ଟିର ଶିକାର ହେଲା। ସଂଯୋଗ କ୍ରମେ ପୁଣି ଏକ ବିଲ୍ବପତ୍ର ଶିବଲିଙ୍ଗ ଉପରେ ପତିତ ହେଲା। ଚାରି ପ୍ରହର ର ଶିବପୂଜା।ପୁଣି ସମ୍ପୂର୍ଣ୍ଣ ନିର୍ଜଳା ଉପବାସ। ଏପଟେ କୋମଳ ମୃଗଶିଶୁ ବଞ୍ଚିବାର ସମସ୍ତ ଆଶା ପରିତ୍ୟାଗ ପୂର୍ବକ ସ୍ଥାଣୁପ୍ରାୟ ଦଣ୍ଡାୟମାନ।
   ଅଲକ୍ଷ୍ୟରେ ଶିବପୂଜା ର ପ୍ରଭାବରେ ବ୍ୟାଧ ମନରୁ ହିଂସା, ଅବିଶ୍ୱାସ ଓ ନିଷ୍ଠୁର ଭାବ ଅପସରି ଯାଇଥିଲା।ସେ ତାକୁ ମଧ୍ୟ ଛାଡିଦେଇ କହିଲା, ରେ ମୃଗଶିଶୁ, ଯା ତୋ ମାତା ପିତା ଓ ଭ୍ରାତା କୁ ଦେଖି ଚାଲି ଆସିବୁ।
   ଏପଟେ ମୃଗ ପରିବାର ସମସ୍ତ ସତ୍ୟତା କୁ ଜାଣି ପରସ୍ପର କୁ ଆଲିଙ୍ଗନ କରି କରୁଣ କ୍ରନ୍ଦନ କରି ଚାଲିଲେ।
    ମାତ୍ର ସତ୍ୟକୁ ତ ରକ୍ଷା କରିବାକୁ ହେବ।ନୀତି ଅନୀତି ସମ୍ପର୍କରେ ଜ୍ଞାନ ରଖିଥିବା ମୃଗ ପରିବାର ପରିଶେଷରେ ସତ୍ୟ ରକ୍ଷା କରିବାକୁ ପ୍ରାଣ ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ହୋଇ ବ୍ୟାଧ ଆଗରେ ଉପସ୍ଥିତ ହେଲେ। 
 କିରାତ ଆଚମ୍ବିତ। ଭାବୁଛି, ଏହା କିପରି ସମ୍ଭବ।ଏମାନଙ୍କର କଣ ପ୍ରାଣ ଭୟ ନାହିଁ ? ଏମାନେ ନ ଆସିଥିଲେ ମୁଁ ଏମାନଙ୍କର କଣ ବା କରି ପାରିଥାନ୍ତି ? *ଏମାନେ ପଶୁ ହେଲେ ମଧ୍ୟ କେତେ ମହାନ୍ ଆଉ ମୁଁ ମଣିଷ ହୋଇ କେତେ ନିଚ୍ଚ,ଘୃଣ୍ୟ।*
    *ଏମାନେ ତୃଣ ଖାଇ ଜୀବନ ଧାରଣ କରୁଥିବା ବେଳେ ମୁ ଏମାନଙ୍କୁ ଖାଇ ଜୀବନ ଧାରଣ କରିଛି। ଧିକ୍ ଶତଧିକ୍ ମୋତେ।*
   ମୋପରିବାର କ୍ଷୁଧାରେ ମରି ଯାଆନ୍ତୁ ପଛେ ମୁଁ ଆଉ ଜୀବନରେ ଏ ନିରୀହ ପଶୁଙ୍କୁ ବଧ କରିବିନି।ନିଜ ସ୍ୱାର୍ଥସାଧନ ପାଇଁ କାହାକୁ ଲୁଣ୍ଠନ କି ହତ୍ୟା କରିବି ନାହିଁ।ମୋ ଜୀବନରେ ମୁଁ ଅନେକ ହତ୍ୟା ଲୁଣ୍ଠନାଦି କରିଛି।ମୁଁ ପାପୀ,ମହାପାପୀ।ପାପମୁକ୍ତ ହେବାକୁ ଚାହେଁ। ମୋ ପାପର ପ୍ରାୟଶ୍ଚିତ କରିବାକୁ ଚାହେଁ। ଅନୁଶୋଚନାଗ୍ରସ୍ତ ବ୍ୟାଧ ବିଚାର କଲା ଏ ପାପଜୀବନ ବଞ୍ଚି
 ଆଉ କିଛି ଲାଭନାହିଁ। ପ୍ରାଣ ହାରିଦେବା ମୋର ଏକମାତ୍ର ପ୍ରାୟଶ୍ଚିତ।ଆତ୍ମହତ୍ୟା କରିବା ପାଇଁ ପାଖରେ ଧରିଥିବା ତୀକ୍ଷ୍ଣ ଛୁରୀକାକୁ ଧରି ଉଦ୍ୟତ ହୁଅନ୍ତେ ବିଲ୍ବବୃକ୍ଷ ମୂଳରୁ  ସ୍ୱୟଂ ବିଶ୍ୱନାଥ ମହାଦେବ ଆବିର୍ଭୂତ ହୋଇ ତାକୁ ଆତ୍ମହତ୍ୟା କରିବାକୁ ବାରଣ କଲେ।କ୍ରନ୍ଦନ ରତ ବ୍ୟାଧକୁ  କହିଲେ ରେ ବ୍ୟାଧ।ଆଜି ମହାଶିବରାତ୍ରି ରେ ଚତୁର୍ପ୍ରହର ଉଜାଗର ହୋଇ ଉପବାସ କରି  ବିଲ୍ବପତ୍ର ରେ ଉପାସନା ତୋର ସମସ୍ତ ପାପକୁ ଧ୍ୱଂସ କରି ଦେଇଛି।
   ତାକୁ ସମ୍ପୂର୍ଣ୍ଣ ପାପମୁକ୍ତିର ବର ପ୍ରଦାନ କରି ପ୍ରଭୁ ତାର ନାମ' *ଗୁହକ* ' ରଖିଲେ।ପାର୍ବତ୍ୟ ପଲ୍ଲୀ ର ରାଜା କରାଇଲେ।ଗୁହକ ଶିବଭକ୍ତ ନାମରେ ଖ୍ୟାତି ଅର୍ଜନ କଲା। ଶିବକୃପାରୁ ତ୍ରେତୟା ରେ ପ୍ରଭୁ ଶ୍ରୀରାମ ବନବାସ ସମୟରେ ତାକୁ  ମିତ୍ର ରୂପରେ ଗ୍ରହଣ କଲେ।ଓ ପ୍ରଭୁ ଙ୍କୁ ଚିହ୍ନି ପାରି ଓ ସେବା କରି ଗୁହକ ପରମଗତି ଲାଭ କଲା।ବ୍ୟାଧ ସହ ପ୍ରଭୁ ମହାଦେବ ଙ୍କ ସାକ୍ଷାତ ଦର୍ଶନ କରି ସେଦିନ ମୃଗ ର ପରିବାର ପଶୁଜନ୍ମରୁ ମୁକ୍ତି ପାଇ ସ୍ୱର୍ଗ ଗମନ କଲେ।
   ମହର୍ଷି ସନତ୍ କୁମାର ଙ୍କ ଠାରୁ ଏହି ଦିବ୍ୟ ଶିବକଥା ଶ୍ରବଣ କରି ଋଷିଗଣ ସସମ୍ମାନେ ପ୍ରଣିପାତ କରି ପ୍ରଶାନ୍ତ ମନରେ ନିଜ ନିଜ ଆଶ୍ରମକୁ ପ୍ରତ୍ୟାଗମନ କଲେ।
------------------------------------------------------
ମାର୍ଚ୍ଚ ୧ ଦିନ ଶିବରାତ୍ରିର ଶୁଭ ସମୟ :- ମହା ଶିବରାତ୍ରି ମାର୍ଚ୍ଚ ୧ ସକାଳ ୦୩:୧୬ ରୁ ଆରମ୍ଭ ହେଇ ମାର୍ଚ୍ଚ ୨ ବୁଧବାର ଦିନ ୧୦ଟା ପର୍ଯ୍ୟନ୍ତ ଚାଲିବ। ରାତିରେ ପୂଜାପାଠର ଶୁଭ ସମୟ ୦୬.୨୨ ରୁ ରାତି ୧୨.୩୩ ପର୍ଯ୍ୟନ୍ତ ରହିବ।

ପ୍ରଥମ ପହରର ପୂଜା - (ମାର୍ଚ୍ଚ ୧) :- ସନ୍ଧ୍ୟା ୦୬.୨୧ ରୁ ରାତି ୦୯.୨୭ ପର୍ଯ୍ୟନ୍ତ ହେବ । ଏଥିରେ ପଞ୍ଚାମୃତ, ଚନ୍ଦନ, ଅନ୍ନ, ରାଶି, ପଦ୍ମ ପୁଷ୍ପ, ଆଦି  ଅର୍ପଣ କରାଯାଏ ।

ଦ୍ୱିତୀୟ ପହରର ପୂଜା  :- ରେ ରାତି ୦୯.୨୭ ରୁ ୧୨.୩୩ ପର୍ଯ୍ୟନ୍ତ ହେବ। ଯେଉଁଥିରେ ଅଟକାଳି, ଦୁଇଗୁଣ ପଦ୍ମ ପୁଷ୍ପ, ଘୃତର ପ୍ରସାଦ, ମଧୁ ଓ  ଦୁଗ୍ଧ ମନ୍ତ୍ର ଉଚ୍ଚାରଣ ସହ ଅର୍ପଣ କରାଯାଏ ।

ତୃତୀୟ ପହରର ପୂଜା  :- ରାତି ୧୨.୩୩ ରୁ ସକାଳ ୩:୩୯ ପର୍ଯ୍ୟନ୍ତ ଚାଲିବ। ଇତିମଧ୍ୟେ ଗହମରେ ପ୍ରସ୍ତୁତ ଖାଦ୍ୟ, ବେଲପତ୍ର, ମନ୍ଦାର ଫୁଲ,ଧୂପ, ଦୀପ, ନୈବେଦ୍ୟ, କର୍ପୁର ଆଳତି ପ୍ରଦାନର ପ୍ରାଧାନ୍ୟ ରହିଛି ।

ଓ ଚତୁର୍ଥ ପହରର ପୂଜା (ମାର୍ଚ୍ଚ ୨) ; ରେ ୦୩:୩୯ ରୁ ୦୬.୪୫ ପର୍ଯ୍ୟନ୍ତ ହେବ। ଏଥିରେ ମୁଗ, ମସୁର, ସପ୍ତ ଧାନ୍ୟ, ବେଲପତ୍ର, ଶଙ୍ଖ, ପୁଷ୍ପ, କଦଳୀ ଅର୍ଘ୍ୟ ରୂପେ ଭଗବାନ ଶଙ୍କର ଙ୍କୁ ଅର୍ପଣ କରାଯାଏ ।

ଉପବାସର ଶୁଭ ସମୟ - ମାର୍ଚ୍ଚ ୨ ବୁଧବାର ଦିନ ଏହା ୦୬:୪୬ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ସମୟରେ ଆପଣ ପୂଜାପାଠ କରିପାରନ୍ତି।

ଆଉ ଟିକେ ପଢନ୍ତୁ...

ପରମପିତା ପରମାତ୍ମା ଶିବଙ୍କୁ ଜ୍ଞାନର ସାଗର, ଶାନ୍ତିର ସାଗର, ସୁଖର ସାଗର, ଆନନ୍ଦର ସାଗର, ପତିତପାବନ, ଦୁଃଖହର୍ତ୍ତା, ସୁଖକର୍ତ୍ତା କୁହାଯାଏ। ଶାସ୍ତ୍ରରେ ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ, ଶିବ ପରମାତ୍ମାୟ ନମଃ କୁହାଯାଇଛି।

‘ଶିବରାତ୍ରି’ ବିଷୟରେ ଜାଣିବାକୁ ହେଲେ ପ୍ରଥମେ ରାତ୍ରି ଶବ୍ଦର ଅର୍ଥ ବୁଝିବାକୁ ହେବ। ଏଠାରେ ‘ରାତ୍ରି’ ଶବ୍ଦର ସୂକ୍ଷ୍ମ ଅର୍ଥ ହେଉଛି – ଦୁଃଖ, ଅଶାନ୍ତି, ପାପ, ଭ୍ରଷ୍ଟାଚାର, ଅନ୍ୟାୟ, ଅତ୍ୟାଚାର। ପରମାତ୍ମାଙ୍କର ଏହି ଧରାରେ ଆସିବା ସମୟ ବିଷୟରେ ଶ୍ରୀମଦ୍‌ଭଗବତ ଗୀତାରେ ମଧ୍ୟ ବର୍ଣ୍ଣିତ – ‘‘ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ…’’ ଅର୍ଥାତ୍‌ ଯେତେବେଳେ ଏହି ଦୁନିଆରେ ଦୁଃଖ, ଅଶାନ୍ତି, ପାପ, ଅନ୍ୟାୟ ବୃଦ୍ଧି ହୁଏ, ସେତେବେଳେ ସମସ୍ତଙ୍କ ଉଦ୍ଧାର ପାଇଁ ପରମାତ୍ମାଙ୍କୁ ଏହି ଧରାରେ ଅବତରିତ ହେବାକୁ ହୁଏ। ପରମାତ୍ମା ଶିବ ଯେଉଁ ସମୟରେ ଧରାରେ ଅବତରିତ ହୁଅନ୍ତି, ସେ ସମୟକୁ ସଙ୍ଗମଯୁଗ କୁହାଯାଏ। ସଙ୍ଗମଯୁଗ ହେଉଛି – କଳିଯୁଗ ଦୁନିଆର ଅନ୍ତ ଏବଂ ସତ୍ୟଯୁଗ ଦୁନିଆର ଆରମ୍ଭ ସମୟ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ସଙ୍ଗମଯୁଗରେ ଅଜନ୍ମା ପରମାତ୍ମା ଶିବଙ୍କ ଜନ୍ମ କିପରି ହୁଏ ? ପ୍ରକୃତରେ ଅବତରଣ କୌଣସି ଶରୀରର ଆଧାର ଦ୍ବାରା ହୁଏ। ପରମାତ୍ମା ଯେଉଁ ଶରୀର ଆଧାର ନିଅନ୍ତି, ତାଙ୍କ ନାମ ‘ପ୍ରଜାପିତା ବ୍ରହ୍ମା’ ରଖନ୍ତି। ଶାସ୍ତ୍ରରେ ବର୍ଣ୍ଣିତ – ତ୍ରିମୂର୍ତ୍ତି ପରମାତ୍ମା ଶିବ ବ୍ରହ୍ମାଙ୍କ ଦ୍ବାରା ସ୍ଥାପନା, ବିଷ୍ଣୁଙ୍କ ଦ୍ବାରା ପାଳନ ଏବଂ ଶଙ୍କର ଦ୍ବାରା ମହାବିନାଶ। ପରମାତ୍ମା ଶିବ ବ୍ରହ୍ମାଙ୍କ ମୁଖ ଦ୍ବାରା ନିଜର ପରିଚୟ ଦେବା ସଙ୍ଗେ ସଙ୍ଗେ ଆତ୍ମାର ପରିଚୟ ଏବଂ ସୃଷ୍ଟିର ଆଦି ମଧ୍ୟ ଜ୍ଞାନ ପ୍ରଦାନ କରନ୍ତି। ପରମାତ୍ମା ଦତ୍ତ ଏହି ଜ୍ଞାନ ଦ୍ବାରା ଜୀବାତ୍ମା ନିଜ ଭିତରେ ଦିବ୍ୟତାକୁ ଜାଣିବା ସଙ୍ଗେ ସାଙ୍ଗେ ଆସୁରୀ ଅବଗୁଣ ଦ୍ବାରା କିପରି ପାପକର୍ମରେ ଲିପ୍ତ ହୋଇଥାଏ, ତା’ ମଧ୍ୟ ସେ ଅନୁଭବ କରେ।

ସମସ୍ତ ପାପ କର୍ମର ମୁକ୍ତ ହେବା ପାଇଁ ପରମାତ୍ମା ଶିବଙ୍କର ମୁଖ୍ୟ ଶିକ୍ଷା ହେଉଛି – ଆତ୍ମା ଅଭିମାନୀ ହୋଇ ନିରାକାର ପରମାତ୍ମା ଯଥାର୍ଥ ରୀତି ଜାଣିବା / ଏହାଦ୍ବାରା ଆତ୍ମାରେ ବିଦ୍ୟମାନ ଅନେକ ଜନ୍ମର ବିକର୍ମ, ପାପ ବିନାଶ ହୋଇ ସତ୍ତ୍ବପ୍ରଧାନ ହୁଏ। ଯେତେବେଳେ ନିଜକୁ ଆତ୍ମା ନିଶ୍ଚୟ କରି ନିରାକାର ପରମାତ୍ମା ଶିବଙ୍କୁ ସ୍ମରଣ କଲେ, ମୋବାଇଲ ଚାର୍ଜ ହେଲା ଭଳି ଆତ୍ମାରୂପୀ ବ୍ୟାଟେରି ଦିବ୍ୟଗୁଣ ଏବଂ ଈଶ୍ବରୀୟ ଶକ୍ତିରେ ପରିପୂର୍ଣ୍ଣ ହୋଇଯାଏ। ନିରନ୍ତର ଅଭ୍ୟାସ ଦ୍ବାରା ତମୋଗୁଣୀ ଆତ୍ମା ସତ୍ତ୍ବଗୁଣୀରେ ପରିବର୍ତ୍ତନ ହୁଏ।
ପରମାତ୍ମା ଶିବଙ୍କର ଏହି ଦିବ୍ୟ ଜ୍ଞାନଦ୍ବାରା କଳିଯୁଗୀ ପତିତ ଦୁଃଖ ଅଶାନ୍ତ ମନୁଷ୍ୟ ଦିବ୍ୟଗୁଣଧାରୀ ଦେବତାରେ ପରିବର୍ତ୍ତନ ହୁଅନ୍ତି। ସେଥିପାଇଁ ପରମାତ୍ମା ଶିବଙ୍କୁ ପତିତପାବନ, ଦୁଃଖହର୍ତ୍ତା ସୁଖକର୍ତ୍ତା କୁହାଯାଏ।
ଏହି କଳିଯୁଗୀ ମହାବିନାଶ ସମୟରେ ଅଧିକରୁ ଅଧିକ ପରମାତ୍ମାଙ୍କଠାରେ ମନ ନିବେଶ କରି ସତ୍‌କର୍ମ କରିବା ପାଇଁ ଚେଷ୍ଟିତ ହେବା ଦରକାର। ମନ ଓ ବିବେକକୁ ସଦା ଉଜାଗର ରଖିବା ବି ଜରୁରୀ। ଏହା କରିପାରିଲେ ପ୍ରକୃତ ମହାଶିବରାତ୍ରିର ପର୍ବର ଯଥାର୍ଥତାଙ୍କୁ ଜୀବନରେ ପ୍ର​‌ୟୋଗ କରିପାରିବା ।




ଓଁ ନମଃ ଶିବାୟ !!!


କଥାରେ ଅଛି ହିନ୍ଦୁ ମାନଙ୍କର ବାର ମାସ ରେ ତେର ପର୍ବ। ଜନ୍ମାଷ୍ଟମୀ, ହୋଲି, ଦୀପାବଳି, ନବରାତ୍ରି ଭଳି ମହାଶିବରାତ୍ରି ବା ଜାଗର ମଧ୍ୟ ହିନ୍ଦୁ ମାନଙ୍କର ଏକ ପ୍ରାଚୀନ ଏବଂ ପ୍ରଧାନ ପର୍ବ ଅଟେ। ଏହାକୁ ଶୈବ ସମ୍ପ୍ରଦାୟୀ ମାନେ ଅତି ନିଷ୍ଠାର ସହିତ ପାଳନ କରନ୍ତି। ପ୍ରତିବର୍ଷ ଫାଲ୍ଗୁନ କୃଷ୍ଣ ଚତୁର୍ଦଶୀ ତିଥି ରେ ପାଳନ ହେଉଥିବା ଏହି ପର୍ବ ରେ ଲୋକ ମାନେ ପ୍ରତ୍ୟୁଷ ରୁ ନିଜର ନିତ୍ୟକର୍ମ ସାରି ଶୁଦ୍ଧ-ପୁତ ମନରେ ଦେବାଧି ଦେବ ମହାଦେବଙ୍କର ଦର୍ଶନ ପାଇଁ ଦେବାଳୟ କୁ ଯାଇ ପୂଜା ଓ ବେଢା ପରିକ୍ରମଣ କରିବା ସହ ଜପ,ଧ୍ୟାନ,ହୋମ ଯଜ୍ଞାଦିରେ ଦିନଟିକୁ ଅତିବାହିତ କରନ୍ତି। ଅନେକ ଶ୍ରଦ୍ଧାଳୁ ନିର୍ଜଳ ଉପବାସ; ତଥା କେହିକେହି ଫଳାହାର, ପାଣି-ପଣା ପିଇ ପ୍ରଭୁଙ୍କ ଏହି ବ୍ରତ ପାଳନ କରନ୍ତି। ସାରା ରାତି ଜାଗ୍ରତ ରହି ଦେବାଳୟ ବେଢା/ପରିସର ରେ ଦୀପ ଜାଳନ୍ତି। ଅର୍ଦ୍ଧ ରାତ୍ର ରେ ପରମ୍ପରାନୁସାରେ ମହାଦେବ ଙ୍କୁ ଉତ୍ସର୍ଗୀକୃତ ମହାଦୀପ ଉଠିଥାଏ; ଯାହାର ଦର୍ଶନରେ କୋଟି ଜନ୍ମର ପାପ ବିନାଶ ହୁଏ। ବିଶ୍ବାସୀ ଭକ୍ତ ନିଜ ହୃଦୟର କଥା ପ୍ରଭୁ ଆଶୁତୋଷଙ୍କୁ ଜଣାଇ କୃପା ଭିକ୍ଷା କରେ, ସନ୍ଥ ବିଶ୍ବର ମଙ୍ଗଳ ପାଇଁ ପ୍ରାର୍ଥନା କରେ। କୁମାରୀ ମାନେ ସେମାନଙ୍କ ମନ ପସନ୍ଦ ପତି ପାଇବା ପାଇଁ  ଦୀପ ଜାଳି ପ୍ରଭୁଙ୍କୁ ପ୍ରସନ୍ନ କରିଥା'ନ୍ତି।  ଅହିଂସା, ଆକ୍ରୋଧ, ସତ୍ୟ, ବ୍ରହ୍ମଚର୍ଯ୍ୟ, ଦୟା, କ୍ଷମା ଆଦି ସାତ୍ତ୍ଵିକ ଗୁଣ ମାନଙ୍କର ବିକାଶ ତଥା ତାମସିକତା ର ବିନାଶ ପାଇଁ ନରନାରୀ ଗଣ ଈଶ୍ବରଙ୍କୁ ନିବେଦନ କରନ୍ତି। 

ପ୍ରତ୍ୟେକ ଶୈବପୀଠ ଭିନ୍ନଭିନ୍ନ ଆଲୋକମାଳା ତଥା ଦୀପାଳିରେ ଆଲୋକିତ ହୋଇ ଅପୂର୍ବ ଶୋଭା ଧାରଣ କରନ୍ତି। ନାଟ୍ୟଶାସ୍ତ୍ର ର ଆଦିଗୁରୁ ନଟରାଜଙ୍କ ସମ୍ମୁଖରେ  ନୃତ୍ୟ ମାଧ୍ୟମରେ ପୂଜାର୍ଚ୍ଚନା/ନାଟ୍ୟାଞ୍ଜଳି ପ୍ରସ୍ତୁତ କରାଯାଏ ।  ଅନେକ ଶୈବପୀଠରେ  ଯାତ୍ରା, ମେଳା -ମେଲଣ ତଥା ବିଭିନ୍ନ ମନୋରଞ୍ଜନ ପୂର୍ଣ୍ଣ କାର୍ଯକ୍ରମ ମାନ ପ୍ରସ୍ତୁତ କରାଯାଏ । ଓଡ଼ିଶା ର ପ୍ରମୁଖ ଶୈବପୀଠ :- ଆଖଣ୍ଡଳମଣୀ ମନ୍ଦିର (ଆରଡି), ଧବଳେଶ୍ବର ମନ୍ଦିର (ଆଠଗଡ଼), ବାବା ଚନ୍ଦ୍ରଶେଖର ମନ୍ଦିର (କପିଳସ), ଲିଙ୍ଗରାଜ ମନ୍ଦିର (ଭୁବନେଶ୍ବର), ଲଡୁବାବା ମନ୍ଦିର (ନୟାଗଡ଼), ଦେଉଳଝରି ସିଦ୍ଧେଶ୍ବର ମନ୍ଦିର (ଅନୁଗୋଳ) ତଥା ଅନ୍ୟାନ୍ୟ ଶିବମନ୍ଦିର ରେ ପ୍ରବଳ ଭକ୍ତ ସମାଗମ ହୁଏ । ଶିବ ପଞ୍ଚାକ୍ଷର ମନ୍ତ୍ର, ଶିବ ଷଡାକ୍ଷର ମନ୍ତ୍ର, ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଶିବ ଚାଳିଶା, ଶିବ ଗାୟତ୍ରୀ ମନ୍ତ୍ର, ଶିବ ସହସ୍ରନାମ, ଶିବ ମହାପୁରାଣ ଆଦିର ପଠନ, ଶ୍ରବଣ, ଜପ ଓ କୀର୍ତ୍ତନ ରେ ଚତୁର୍ଦ୍ଦିଗ ଶିବମୟ  ହୋଇଯାଏ । ମନ୍ଦିର ରେ ସାରା ରାତି ପୁଜାର୍ଚ୍ଚନା ଚାଲେ। ପ୍ରଥମ ପ୍ରହର ରେ ଈଶାନ ରୂପେ କ୍ଷୀରାଭିଷେକ, ଦ୍ବିତୀୟ ପ୍ରହର ରେ ଅଘୋର ରୂପରେ ଦଧିରେ ଅଭିଷେକ, ତୃତୀୟ ପ୍ରହର ରେ ବାମଦେବ ରୂପରେ ଘୃତରେ ଅଭିଷେକ ଏବଂ ଚତୁର୍ଥ ତଥା ଅନ୍ତିମ ପ୍ରହର ରେ ସଦ୍ୟୋଜାତ ରୂପରେ ମଧୁ ରେ ଅଭିଷେକ କରାଯାଏ। 

ମହାଶିବରାତ୍ରି ବା ଜାଗର ବିଷୟରେ ଅଗ୍ନିପୁରାଣ, ପଦ୍ମପୁରାଣ, ସ୍କନ୍ଦପୁରାଣ, ଗରୁଡପୁରାଣ, ଲିଙ୍ଗପୁରାଣ ଆଦି ରେ ଅନେକ ବର୍ଣ୍ଣନା ରହିଛି, ଅନେକ ଲୋକକଥା ମଧ୍ୟ ରହିଛି ।  

॥ ୧॥ :- କେତେକଙ୍କ ମତରେ ଯେତେବେଳେ ଦେବତା ଓ ଅସୁର ମାନେ ମନ୍ଦର ପର୍ବତକୁ ଖୁଆ ଓ ବାସୁକୀନାଗ କୁ ରଜ୍ଜୁ କରି ସମୁଦ୍ର ମନ୍ଥନ କାଲେ, ସେତେବେଳେ  ବାସୁକୀନାଗ ମୁଖରୁ ହଳାହଳ ବିଷ (ବିଶ୍ବ ର ସବୁଠାରୁ ଭୟଙ୍କର ବିଷ) ନିର୍ଗତ ହୋଇ ସସାଗର ଧରାମଣ୍ଡଳ କୁ ଆକ୍ରାନ୍ତ କରନ୍ତେ, ସୃଷ୍ଟି ରକ୍ଷା  ନିମନ୍ତେ ଦେବଦେବ ମହାଦେବ ସେହି ହଳାହଳ କୁ ପାନ କଲେ, ଦେବୀ ଭଗବତୀ କଣ୍ଠ ଦେଶରେ ରହି ଏହାକୁ ଅବରୋଧ କଲେ ଓ ମହାବିଷ୍ଣୁ ମୁଖ ନିକଟରେ ରହି ଏହି ବିଷ ପୁଣି ବାହାରକୁ ଯେପରି ନ ଆସିପାରିବ ଜଗିରହିଲେ; ଫଳତଃ ବିଷଜ୍ବାଳା ର ପ୍ରକୋପ ରେ ଶିବ ନୀଳକଣ୍ଠ ହୋଇଗଲେ। ସେଦିନ ସମସ୍ତ ଦେବତା ଗଣ ଶିବଙ୍କ ନିକଟ ରେ ଜଗିରହି ତାଙ୍କର ସେବା କରି ଆରୋଗ୍ୟ କାମନା କଲେ, ଏଣୁ ସେହି ଦିନ କୁ ଶିବରାତ୍ରି ରୂପେ ପାଳନ କରାଯାଏ ।       

॥ ୨॥ :- ଯେତେବେଳେ ପ୍ରଳୟ ସମୁଦ୍ର ରେ ଭଗବାନ ବିଷ୍ଣୁ ଶୋଇଥିଲେ , ବ୍ରହ୍ମା ମାୟାରେ ମୋହିତ ହୋଇ ବିଷ୍ଣୁଙ୍କୁ ନିଦାରୁ ଉଠାଇ ପ ଚାରିଲେ ତୁମେ କିଏ? ସେତେବେଳେ କିଏ ବଡ ବୋଲି ଉଭୟଙ୍କ ମଧ୍ୟରେ ଭୀଷଣ ବିବାଦ ଆରମ୍ଭ ହେଲା, ଏହା ଜାଣି ପରମାତ୍ମା ଶିବ ଏହାର ଶାନ୍ତି ପୂର୍ବକ ସମାଧାନ ପାଇଁ ଜ୍ୟୋତିର୍ଲିଙ୍ଗ ରୂପରେ ପ୍ରକଟ ହେଲେ । ଯାହାର ଆଦ୍ୟ କିମ୍ବା ଅନ୍ତ ନଥିଲା। ସେହି ଲିଙ୍ଗ ପ୍ରଚଣ୍ଡ ତେଜ ରେ ଜ୍ବାଳାମୟ ଥିଲା, ସେତେବେଳେ ଜିଜ୍ଞାସା ବଶତଃ ବ୍ରହ୍ମା ହଂସ ରୂପରେ ଉର୍ଦ୍ଧ୍ୱ ଭାଗ ଆଡ଼କୁ ଏବଂ ବିଷ୍ଣୁ ଶୂକର ରୂପେ ନିମ୍ନଭାଗ ଆଡ଼କୁ ଗତି କଲେ, ମାତ୍ର କେହି ସେହି ଜ୍ୟୋତିର୍ଲିଙ୍ଗର  ଆଦ୍ୟନ୍ତ ପାଇଲେ ନାହିଁ। ନିରାଶ ହୋଇ ପୂର୍ବ ସ୍ଥାନକୁ ଫେରିଆସିଲେ ଓ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ ଓ ଭଗବାନ ଶଙ୍କରଙ୍କୁ ଦର୍ଶନ କଲେ, ଏଣୁ ସେହି ଦିନ କୁ ଶିବରାତ୍ର କୁହାଯାଏ ।   
    
॥ ୩॥ :- ମକର ସଙ୍କ୍ରାନ୍ତି ଠାରୁ ମିଥୁନ ସଙ୍କ୍ରାନ୍ତି ପର୍ଯ୍ୟନ୍ତ ମଧ୍ୟ ସମୟକୁ ସୂର୍ଯ୍ୟଙ୍କର ଉତ୍ତରାୟଣ ବା ଦେବପକ୍ଷ କୁହାଯାଏ।ଏହି ସମୟ ରେ ପରମାତ୍ମାଙ୍କର ପ୍ରକୃତିଶକ୍ତି ଦ୍ବାରା ତିଆରି ଚରାଚର ବିଶ୍ବର ମଙ୍ଗଳ ପାଇଁ  ତଥା ବ୍ୟକ୍ତି ନିଜର ମଙ୍ଗଳ ପାଇଁ ଗୋଟିଏ ରାତି ଜାଗ୍ରତ ରହିବା ଦ୍ବାରା ଗ୍ରହ ନକ୍ଷତ୍ରାଦି ଙ୍କର ଶୁଭଦୃଷ୍ଟି ପ୍ରାପ୍ତ ହୋଇଥାଏ , ଏଣୁ ଏହାକୁ ଜାଗର ବା ମହାଶିବରାତ୍ରି କୁହାଯାଏ। ଏହିପରି ଅନେକ ପ୍ରବାଦ ରହିଅଛି, ଯାହା ପରବର୍ତ୍ତୀ ସମୟ ରେ ଜାଣିବା...




ବିଶ୍ବ ସୃଷ୍ଟିର  ବିଭିନ୍ନ ରହସ୍ଯ ମଧ୍ୟରେ ମହାଶିବରାତ୍ରି ପାଳନର ମୂଳ ଉତ୍ସ ଅଦ୍ୟାବଧି ରହସ୍ଯ ହୋଇଥିଲେ ମଧ୍ଯ ବିଭିନ୍ନ ଧର୍ମ ଶାସ୍ତ୍ର ଅନୁସାରେ ଏହି ବ୍ରତ ଯଥା ବିଧି ବସନ୍ତ ଋତୁର ଆଦ୍ୟ  ଆଗମନୀ ତଥା  ଫଗୁଣ ମାସରେ ପାଳନ କରାଯାଇଆସୁଅଛି । 
ଫାଲ୍ଗୁନେ କୃଷ୍ଣ୍ବସ୍ୟ ଯାତିଥି ସ୍ୟାଚ ଚତୁର୍ଦ୍ଦଶୀ 
ତସ୍ୟାଂ ଯା ତାମସୀ  ରାତ୍ରିଃ ସୋଚ୍ୟତେ ଶିବ ରାତ୍ରିକା ।।

ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ   ଫାଲଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ  ତାମସୀ ରାତ୍ରି   ହିଁ ମହାଶିବରାତ୍ରି । ଈଶାନ ସଂହିତାରେ ବର୍ଣ୍ଣନା ରହିଛି ଯେ  ଫାଲଗୁନ ମାସର କୃଷ୍ଣ ଚତୁର୍ଦ୍ଦଶୀ  ତାମସୀ ରାତ୍ରି  ହିଁ ପ୍ରଭୁ ଦେବାଧିଦେବ,ଚିରଞ୍ଜିବୀ,  ମହାଦେବ ଶିବଙ୍କ ଲିଙ୍ଗ ଆବିର୍ଭାବ ହୋଇଥିଲା ।  ଏହି ଶିବଲିଙ୍ଗର ଜନ୍ମ ବିଧି ପାଳନ ପୂର୍ବକ ପରବର୍ତ୍ତୀ ସମୟରେ ସାରା ଭାରତବର୍ଷରେ ଓ ବାହାର ଦେଶରେ ମହାଶିବରାତ୍ରି ଭାବରେ  ଏହି ତିଥିକୁ ପାଳନ  କରାଯାଇଆସୁଛି ।

      ସର୍ବ ଭାରତୀୟ ସ୍ତରରେ ଏହି ମହାନ ପରମ୍ପରାର ଧାର୍ମିକ ପର୍ବ ଶୈବ ସଂସ୍କୃତିର ଏକ ଚରମ ନିଦର୍ଶନ କହିଲେ ଅତ୍ୟୁକ୍ତି ହେବ ନାହିଁ  । ବୈଦିକ ଯୁଗର ପ୍ରାରମ୍ଭିକ  ଓ ପରେ ଏହି ପର୍ବକୁ ଆର୍ଯ୍ୟୠଷି, ସାଧୁସନ୍ଥ ଓ  ସର୍ବସାଧାରଣ ପଶୁପତି, ଆଶୁତୋଷ, ଅଭିରାମ   ଶିବଙ୍କର ନାନାଦି ଉପଚାରଯୁକ୍ତ ଆରାଧନାର ବିଧି ଅନୁସାରେ ପାଳନ କରିବା ସହିତ ବିଭିନ୍ନ ପୂଜାବିଧି ବ୍ୟବସ୍ଥା ନିରୁପଣ କରିଯାଇଛନ୍ତି ।  ପୁରାଣ ଯୁଗରେ  ବିଶ୍ବାତ୍ମା ଚେତନାରେ ପାରମ୍ପାରିକ ଲୋକଧର୍ମ ଓ ସଂସ୍କୃତିର ସମନ୍ବୟରେ ପାଳନ ଏହି ପର୍ବ  କରାଗଲା ।  ପରେ ବୈଷ୍ଣବୀୟ ଭାବଧାରାରେ ଏହାକୁ ମହାଶିବରାତ୍ରି  ମହୋତ୍ସବ ତଥା  ମହାଶିବଜୟନ୍ତୀ ରୂପେ ପାଳନ କରାଯାଇଆସୁଅଛି  । 
       ବୈଷ୍ଣବୀୟ  ଭାବଧାରାର ଶାସ୍ତ୍ର ଅନୁସାରେ ଛଅଟି ଜନ୍ମ ଜୟନ୍ତୀ ପାଳନ ମଧ୍ଯରୁ ଏହି ତିଥି ଅନ୍ୟତମ ବୋଲି ମତବ୍ୟକ୍ତ କରିଛନ୍ତି ।  ଭାରତୀୟ ଧର୍ମ ଓ ପରମ୍ପରା ଆଧାରରେ  ସର୍ବଜନବିଦିତ ଅଶ୍ଵମେଧ ଯଜ୍ଞ, ପବିତ୍ର ଗଙ୍ଗାସ୍ନାନ ପରି ଏହି ଶିବରାତ୍ରି  ପାଳନ  ଦୁର୍ଲଭ ଓ ସମଫଳପ୍ରାପ୍ତ  ହୋଇଥାଏ । ଜାତି, ବର୍ଣ୍ଣ, ସମ୍ପ୍ରଦାୟ, ନର, ନାରୀ ନିର୍ବିଶେଷରେ ଅସଂଖ୍ଯ ଶ୍ରଦ୍ଧାଳୁ ଭକ୍ତ ପବିତ୍ର ଆଧ୍ୟାତ୍ମିକ ଭାବ ଭକ୍ତିରେ ତଲୀନ  ହୋଇ ଏହି ପୁଣ୍ୟ ଦିବସଟିକୁ ମହାଶିବରାତ୍ରି ବ୍ରତ ଭାବେ ପାଳନ କରିଥାନ୍ତି ।  ସମଗ୍ର ଭାରତ ଓ ଭାରତ ବାହାରେ ନେପାଳ, ଭୁଟାନ ଇତ୍ୟାଦି ଦେଶରେ ମଧ୍ଯ ଏହି ବ୍ରତକୁ ଶ୍ରଦ୍ଧାଳୁ ଭକ୍ତମାନେ ବିଭିନ୍ନ ଶୈବପୀଠରେ ଯଥା ବିଧି  ପାଳନ କରିଥାନ୍ତି । 
       ଏହିଦିନ ଶ୍ରଦ୍ଧାଳୁ ଭକ୍ତମାନେ ପ୍ରଭାତରୁ ଉଠି ପବିତ୍ରଜଳରେ ସ୍ନାନ କରି ଅରଖ, ଗୟସ,ଦୁଦୁରା, ଚମ୍ପା, ବିଭିନ୍ନ ସୁଗନ୍ଧିତ ପୁଷ୍ପ ସହିତ ତ୍ରିଶାଖା ବେଲପତ୍ର , ଧୂପ, ଦୀପ, ମଧୁ, ଦୁଗ୍ଧ,  ଦଧି , ଘୃତ ନେଇ ଶିବ ମନ୍ଦିରକୁ ଯାଇ ଯଥାବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି । ସାରା ଦିନ ଉପବାସ ରହି ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଅଖଣ୍ଡ ଘୃତଦୀପ ପ୍ରଜ୍ବଳନ କରି ଧ୍ଯାନ ସହକାରେ ବିଶ୍ବର କଲ୍ୟାଣ ନିମନ୍ତେ  ଶିବ ନାମ ସ୍ମରଣ,   ଶିବ ମହାମନ୍ତ୍ର,  ଶିବ ପଞ୍ଚାକ୍ଷରି, ଶିବ  ମହାମୃତ୍ୟୁଞ୍ଜୟ  ମନ୍ତ୍ର ଜପ କରିଥାନ୍ତି । ଏହି ମହାନ ପର୍ବ ପାଳନ ଶାସ୍ତ୍ର ବିଧି  ଅନୁସାରେ   ରାତ୍ରିର ପ୍ରଥମ ପ୍ରହରରେ ଶିବଲିଙ୍ଗକୁ ଦୁଗ୍ଧ,  ଦ୍ବିତୀୟ ପ୍ରହାରରେ ଦଧି,  ତୃତୀୟ ପ୍ରହରରେ ଘୃତ ଓ ଚତୁର୍ଥ ପ୍ରହରରେ ମଧୁ ଦ୍ବାରା ସ୍ନାନ କରାଯାଇଥାଏ । 

               ଏହି ପର୍ବକୁ ଜାଗର ଯାତ୍ରା ତଥା ଜାଗର ମେଳା ମଧ୍ଯ କହିଥାନ୍ତି । ଏହି ପର୍ବରେ  ପ୍ରଭୁ ଅନିକେତ, ଚନ୍ଦ୍ରପାଳ, ପିନାକୀ,  ଶିବଶଙ୍କରଙ୍କୁ ନାଗାଭରଣ ବେଶ  କରଯାଇଥାଏ । ରାତ୍ରିର ଦ୍ବିତୀୟ ପ୍ରହର ପରେ ପ୍ରଭୁ ନଟରାଜ ଶିବଙ୍କର ମହାଦୀପ ନାମ ସଂକୀର୍ତ୍ତନ ସହିତ   ମନ୍ଦିର ବେଢା ପରିକ୍ରମା କରାଇ  ଭକ୍ତମାନଙ୍କର ଶ୍ରଦ୍ଧା ଓ ଭକ୍ତିର ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ଶିଖରକୁ ଉଠାଯାଇଥାଏ । ଏହି ମହାଦୀପକୁ ଦର୍ଶନ କରିବା ନିମନ୍ତେ ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ଠୁର ସହିତ ଚାହିଁରହିଥାନ୍ତି ।  ଏହା ପରେ  ପ୍ରଭୁଙ୍କର  ହରିହରଭେଟ ବେଶକୁ  ଦର୍ଶନ  କରି ଭକ୍ତମାନେ ବ୍ରାହ୍ମଣ,  ସାଧୁ ସନ୍ଥ ଓ ଦୁଃଖୀଜନମାନଙ୍କୁ ଭୋଜନ ଓ ବସ୍ତ୍ର ଦାନ  ଦେଇ ପବିତ୍ର ମହାଶିବରାତ୍ରି ବ୍ରତ ଉଦ୍ ଯାପନ  କରିଥାନ୍ତି  । ଏହି ବ୍ରତର ମହାତ୍ମ୍ୟ ଓ ବିଧି ପୂର୍ବକ ଭକ୍ତିରେ ଅନୁପ୍ରାଣିତ ହୋଇ ବ୍ରାହ୍ମଣ,  ଅବ୍ରାହ୍ମଣ, ବୈଦିକ ଓ  ଅବୈଦିକ, ଶୈବ , ଶାକ୍ତ,  ବୈଷ୍ଣବ ସବୁବର୍ଗର ଭକ୍ତମାନେ  ନିଜ ନିଜ ନିଷ୍ଠାର ସହିତ ବ୍ରତ ପାଳନ କରି ନିଜକୁ ଧନ୍ଯ ଓ ପୁଣ୍ୟ ମନେକରିଥାନ୍ତି । 
     ଭାରତୀୟ ଆଧ୍ୟାତ୍ମିକ ଭାବ ଧାରାରେ ଜଗତ ପିତା ବିଶ୍ବ କଲ୍ୟାଣକାରୀ ଲିଙ୍ଗ ସ୍ବରୂପ ସାଧନାର ପ୍ରତୀକ ହୋଇଥିଲା ବେଳେ ସର୍ବ କଲ୍ୟାଣମୟୀ   ଜଗତଜନନୀଙ୍କୁ  ଶକ୍ତି ବୋଲି କୁହାଯାଏ । ପୁଣି କେହି କେହି ଶାସ୍ତ୍ରମତ ଅନୁସାରେ  ବିଶାଳ ଉଦାର  ଆକାଶକୁ ଲିଙ୍ଗ ଓ ସର୍ବଂସହା  ଧରିତ୍ରୀ ମାତା କୁ  ଶକ୍ତି ପୀଠ ରୂପେ ବର୍ଣ୍ଣନା କରିଥାନ୍ତି । ଉଭୟ ଆକାଶ ଓ ପୃଥିବୀ ପରସ୍ପର ଅବିଛେଦ୍ୟ ପରି ଭାରତୀୟ ଧର୍ମ ଚେତନା  ଓ ସୃଷ୍ଟିର ପ୍ରତୀକ ରୂପେ ଶକ୍ତି ଓ ଲିଙ୍ଗକୁ ସ୍ବୀକାର କରାଯାଇଥାଏ ।  ସୃଷ୍ଟି ଯେପରି କାଳ ଦ୍ୱାରା ପରିଚାଳିତ ସେହିପରି ଲିଙ୍ଗ ଓ ଶକ୍ତି ସ୍ବରୂପ ଶିବ ସର୍ବଦା କାଳ ରୂପୀସର୍ପ ଦ୍ବାରା ବେଷ୍ଟିତ ।  ସୃଷ୍ଟି ଯେପରି କାଳର ବଶବର୍ତ୍ତୀ ହୋଇ ନୂତନ ସୃଷ୍ଟି ନିମନ୍ତେ   ମୃତ୍ୟୁ କୁ ଆହ୍ବାନ କରିଥାଏ, ସେହିପରି ବିନାଶଶୀଳ ସୃଷ୍ଟି ନିତ୍ଯ ନୂତନ ତଥା ସୌନ୍ଦର୍ଯ୍ୟ ବିମଣ୍ଡିତ । ତେଣୁ ଲିଙ୍ଗ ଓ ଶକ୍ତିର ସମନ୍ବୟରେ ପରମ ପ୍ରେମମୟ  ଦେବ ଦେବ ମହାଦେବଙ୍କୁ ସତ୍ଯ ଶିବ ସୁନ୍ଦର କୁହାଯାଇଥାଏ । ସେହି ଅମୃତତତ୍ତ୍ବ ଗୁଣଗ୍ରାହୀ ଶିବ ହେଉଛନ୍ତି ସର୍ବାନନ ଶିରୋଗ୍ରୀବ, ସର୍ଵଭୂତ ଗୁହାଶୟ, ସର୍ବବ୍ୟାପୀ  ଭୂତଭାବନ ପରମଶିଵ । ଯେକି ମୃତ୍ୟୁକୁ ଜୟ କରିବାର ଅମୃତ ମହାମୃତ୍ୟୁଞ୍ଜୟ ମନ୍ତ୍ର ପ୍ରଦାନ କରିଛନ୍ତି ।

       ଏହି ମହୋତ୍ସବରେ ପ୍ରଭୁ ଆଶୁତୋଷ ଯୋଗୀରାଜ ଶିବଶଙ୍କରଙ୍କୁ  ଏକ ବିଶେଷ ବେଶରେ ସଜ୍ଜିତ   କରିଥାନ୍ତି , ତାହା ହେଉଛି ନାଗାଭରଣ ବେଶ । ଏଥିରେ ପଶୁପତି ନାଗଭୂଷଣଙ୍କୁ ଅସଂଖ୍ଯ ନାଗବିଭୂଷିତ କରି ସୁସଜ୍ଜିତ କରାଯାଏ  । ମସ୍ତକରେ ଜଟା, ସର୍ପର କିରୀଟୀ କୁଣ୍ଡଳ ଓ ହସ୍ତରେ ସର୍ପର କଙ୍କଣ ଆଭୂଷଣ କରାଯାଏ । ଗିରିଜାପତି ଶମ୍ଭୁନାଥଙ୍କ ସର୍ବାଙ୍ଗରେ ଭସ୍ମ ଲେପନ ସହିତ ବ୍ୟାଘ୍ରଛାଲର ବସନରେ ବିଭୂଷିତ କରାଯାଇ ହସ୍ତରେ ତ୍ରିଶୁଳ ଓ ଡମ୍ବରୁ ରେ ଶୋଭା ପାଆନ୍ତି । କପାଳରେ ତ୍ରିନେତ୍ର ସୁଶୋଭିତ ହୋଇଥାନ୍ତି । ନୀଳକଣ୍ଠ ସବୁ ହଳାହଳ ବିଷ ପାନ କରି, ମୂଲ୍ଯବାନ ରତ୍ନ ଅଳଙ୍କାର ସଦୃଶ ଦ୍ରବ୍ଯ  ଗ୍ରହଣ ନକରି ସର୍ପକୁ ଭୂଷଣ ଓ ଭସ୍ମକୁ ବିଭୂତି ରୂପେ ଶରୀରରେ   ଗ୍ରହଣ କରିବା ହେଉଛି ଏକ କାମନା ଶୂନ୍ୟ , ନିର୍ବିକାର ତଥା ତ୍ୟାଗର ପ୍ରତୀକ ।  ଏହି ନାଗାଭରଣ ବେଶ ହିଁ ସାରାବିଶ୍ୱକୁ ଅହଙ୍କାର ଦୂରକରି ତ୍ଯାଗ ଅବଲମ୍ବନ କରି ବଞ୍ଚିବାର ରାହା ସଦୃଶ ଭାରତୀୟ ସଂସ୍କୃତିର ଏକ ବଳିଷ୍ଠ ନିର୍ଯ୍ୟାସ । ମସ୍ତକରେ ପତିତପାବନୀ ଗଙ୍ଗା ଧାରଣ କରି ଗଙ୍ଗାଧର ପରମେଶ୍ଵର ମାନବବାଦର ପରାକାଷ୍ଠା ପ୍ରଦର୍ଶନ କରିପାରିଛନ୍ତି । ସେହିପରି ତ୍ରିଶୂଳ ଶସ୍ତ୍ର ଓ ଡମ୍ବରୁ ଶାସ୍ତ୍ରର ପ୍ରତୀକ ହୋଇଥିବାରୁ ଏହାର ସମନ୍ବୟରେ ଶାସ୍ତ୍ରର ଉତ୍ପତ୍ତି ବୋଲି କେହି କେହି ମତ ଦିଅନ୍ତି  । ଯାହା ସୃଷ୍ଟିର ପାଳନ ନିମନ୍ତେ ଅନୁଶାସନ ରୂପେ ଗ୍ରହଣ କରାଯାଇଥାଏ  ।  ସେହିପରି ଭାଲନେତ୍ର  ଜଟାଧାରୀ ଙ୍କ ଭାଲପଟରେ ପୂର୍ଣ୍ଣଚନ୍ଦ୍ର ପରିବର୍ତ୍ତେ ଅର୍ଦ୍ଧ ଚନ୍ଦ୍ର ସଦୃଶ ଦ୍ବିତୀୟା ଚନ୍ଦ୍ର ଶୋଭାବର୍ଦ୍ଧନ କରିଥାନ୍ତି ଏହାର କାରଣ ପୂର୍ଣ୍ଣ ଚନ୍ଦ୍ରର ବିନାଶ ତଥା ଅବକ୍ଷୟ ପ୍ରତିଦିନ ହୋଇ ଅମାବାସ୍ୟାରେ ଆଲୋକ ନିଶ୍ଚିହ୍ନ ହୋଇଥାଏ । ମାତ୍ର ଦ୍ବିତୀୟା ଚନ୍ଦ୍ର ପ୍ରତ୍ୟହ ବୃଦ୍ଧି ଘଟି ପୂର୍ଣ୍ଣିମା ତିଥିରେ ପୂର୍ଣ୍ଣତା ଲାଭ କରିଥାଏ । ଏଥିରୁ ପ୍ରମାଣିତ ଯେ ଜୀବନର ବିକାଶ ଚନ୍ଦ୍ରକଳାର ବିକାଶ ପରି   କର୍ତ୍ତବ୍ଯନିଷ୍ଠ ହୋଇ ସମସ୍ତଙ୍କ ମଙ୍ଗଳ ବିଧାନ କରିବା ଉଚିତ୍ ।  ନିତ୍ଯସୁନ୍ଦର ଓଁକାର ପ୍ରଣବ ହେଉଛନ୍ତି ତ୍ରିକାଳଦର୍ଶୀ । ମହାଦେବଙ୍କ ତୃତୀୟ ନେତ୍ର ହେଉଛି ଜ୍ଞାନ ନେତ୍ର । ସବୁ କିଛିର ଉର୍ଦ୍ଧ୍ବରେ ରହି କର୍ତ୍ତବ୍ଯନିଷ୍ଠାର ନିଦର୍ଶନ ହେଉଛି ଏହି ନେତ୍ର ଯାହା ସବୁ ଜ୍ଞାନର ଉର୍ଦ୍ଧ୍ବରେ ।  ଅନ୍ତଃକରଣ, ଶୁଦ୍ଧ ଚେତନା ଓ ଅର୍ନ୍ତଦୃଷ୍ଟି   ପ୍ରଦାନ ହିଁ   ଜ୍ଞାନ ନେତ୍ରର  ଦ୍ବାରା ସମାହିତ ହୋଇଥାଏ ।  ପ୍ରଭୁ   ତ୍ରୀଲୋକପତି, ତ୍ରିପୁରାରୀ, ଉମାପତି, ଉମାକାନ୍ତଙ୍କର ଏହି ବେଶ ଧାରଣର ଏହା ହିଁ ମହତ୍ତ୍ବ ପ୍ରତିପାଦନ କରିଥାଏ । 
      ଆଧ୍ୟାତ୍ମିକ ଭାବଧାରାରେ  ମୁନିୠଷିଗଣ ତଥା  ଭକ୍ତମାନେ ଧନଦୀପ, ଶ୍ରୀକାନ୍ତ, ସୁପ୍ରୀତ,  ପରମଯୋଗୀ ଶିବଙ୍କୁ କଲ୍ୟାଣକାରୀ, ରୋଗଶୋକହାରୀ, ମୋକ୍ଷଦାତା, ସର୍ବାରିଷ୍ଠଖଣ୍ଡନକାରୀ, ସର୍ବାଭୀଷ୍ଟ ପ୍ରଦାତା,  ମଙ୍ଗଳମୟ ସତ୍ଯ ସୁନ୍ଦର ବୋଲି ଆଖ୍ୟାୟିତ କରିଛନ୍ତି। 
     ଏହି ସଂସ୍କୃତି ଓ ପରମ୍ପରା ଆଧାରରେ  ଭାରତରେ ଥିବା ପ୍ରମୁଖ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଯଥା - ଗୁଜୁରାଟରେ  ସୋମନାଥ, ନାଗେଶ୍ଵର,  ମହାରାଷ୍ଟ୍ରରେ ତ୍ର୍ୟମ୍ବକେଶ୍ଵର,  ଭୀମଶଙ୍କର ଓ ଘୃଷ୍ଣେଶ୍ଵର, ମଧ୍ୟପ୍ରଦେଶରେ ମହାକାଳେଶ୍ଵର ଓ ଓଁକାରେଶ୍ଵର, ଆନ୍ଧ୍ରପ୍ରଦେଶରେ ମଲ୍ଲିକାର୍ଜୁନ,  ଝାଡ଼ଖଣ୍ଡରେ ବୈଦନାଥ, ତାମିଲନାଡୁରେ ରାମେଶ୍ଵର, ଉତ୍ତରାଖଣ୍ଡରେ କେଦାରନାଥ  ଏବଂ ଉତ୍ତରପ୍ରଦେଶରେ କାଶୀବିଶ୍ବନାଥ ସ୍ଥାନ ରେ ଏହି ପର୍ବ ମଧ୍ଯ  ଧାର୍ମିକ ବିଧି ଅନୁସାରେ ପାଳନ କରାଯାଏ ।


------ ଓଁ ଶିବ ------

        






Comments

Popular posts from this blog

ଦୀପାବଳୀ

ନାଗ ଚତୁର୍ଥୀ ବା ନାଗଲ ଚତୁର୍ଥୀ