ପାପମୋଚନୀ ଏକାଦଶୀ

ପାପମୋଚନୀ ଏକାଦଶୀ
୧୯/୦୩/୨୦୨୦


ଚନ୍ଦ୍ର ର ସମୟ କାଳ

ଚନ୍ଦ୍ରପକ୍ଷର ଏକାଦଶ ଦିବସକୁ ଏକାଦଶୀ କୁହାଯାଏ। ଏହା ଚନ୍ଦ୍ରର ଏକାଦଶ କଳାର ହ୍ରାସ କିମ୍ବା ବୃଦ୍ଧି ଯୋଗୁଁ ଘଟିଥାଏ। ଏଣୁ ମାସ ରେ କୃଷ୍ଣ ପକ୍ଷ ଜନିତ ଏକାଦଶୀ କୁ କୃଷ୍ଣାଏକାଦଶୀ ଓ ଶୁକ୍ଳ ପକ୍ଷ ରେ ପାଳିତ ଏକାଦଶୀ କୁ ଶୁକ୍ଳାଏକାଦଶୀ କୁହାଯାଏ। ସନାତନ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବର୍ଷ ରେ ୨୪ଟି ଏକାଦଶୀ ଥାଏ, ମାତ୍ର ଅଧିମାସ ଯୋଗୁଁ ଆମେ ୨୬ଟି ଏକାଦଶୀ ପାଳିତ କରିଥାଉ। 
ପ୍ରତ୍ୟେକ ଏକାଦଶୀ ର ଭିନ୍ନ ଭିନ୍ନ ମହତ୍ଵ ରହିଛି, ଏବଂ ପ୍ରତ୍ୟେକ ଏକାଦଶୀ ର ଅଲଗା ଅଲଗା କିମ୍ବଦନ୍ତୀ ମଧ୍ୟ ରହିଛି। ଭଗବାନ ବିଷ୍ଣୁ ଙ୍କର ଅତି ପ୍ରିୟ ଏହି ଏକାଦଶୀ ବ୍ରତ ତଥା ଦିବସ କୁ ସାଧାରଣତଃ ମୋକ୍ଷ ପ୍ରାପ୍ତି ର ମାର୍ଗ କୁହାଯାଏ; ଯେଉଁଥିପାଇଁ କୃଷ୍ଣାଏକଦଶୀ ଅଥବା ଶୁକ୍ଲାଏକାଦଶୀ ପାଳୁଥିବା ଭକ୍ତ ଉପରେ ଭଗବାନ ବିଷ୍ଣୁ ଙ୍କର ବିଶେଷ କୃପାଦୃଷ୍ଟି ସର୍ବଦା ରହିଥାଏ। ସାଧାରତଃ ଏକାଦଶୀ କୁ ମୋକ୍ଷ ଦାୟକ ତିଥି କୁହାଯାଏ, କାରଣ ପ୍ରତ୍ୟେକ ଏକାଦଶୀ ପାଳନ ର ଭିନ୍ନ ଭିନ୍ନ ମହତ୍ଵ ତଥା ସୁଫଳ ରହିଥାଏ। ଏଣୁ ପ୍ରାୟ ପ୍ରତ୍ୟେକ ହିନ୍ଦୁ ଏକାଦଶୀ କୁ ନିଷ୍ଠା ର ସହ ପାଳନ କରନ୍ତି, ଏବଂ ରାତି ଉଜାଗର ରହି  ପୂଜାର୍ଚ୍ଚନା ମଧ୍ୟ କରନ୍ତି।

ଆମେ ପାଳନ କରୁଥିବା ଏକାଦଶୀ ମାନଙ୍କ ମଧ୍ୟରେ ଉତ୍ପନ୍ନା ଏକାଦଶୀ, ମୋକ୍ଷଦା ଏକାଦଶୀ, ସଫଳା ଏକାଦଶୀ, ପୁତ୍ରଦା ଏକାଦଶୀ, ଷଟ୍‌ତିଳା ଏକାଦଶୀ, ଜୟା ଏକାଦଶୀ(ଭୌମୀ), ବିଜୟା ଏକାଦଶୀ, ଆମଳକୀ ଏକାଦଶୀ(ଅଅଁଳା) , ପାପମୋଚନୀ ଏକାଦଶୀ, କାମଦା ଏକାଦଶୀ, ବରୁଥିନୀ ଏକାଦଶୀ, ମୋହିନୀ ଏକାଦଶୀ, ଅପରା ଏକାଦଶୀ, ନିର୍ଜଳା ଏକାଦଶୀ ଅଥବା ଭୀମସେନୀ ଏକାଦଶୀ, ଯୋଗିନୀ ଏକାଦଶୀ, ହରିଶୟନୀ ଏକାଦଶୀ(ପଦ୍ମା), କାମିକା ଏକାଦଶୀ(କାମଦା), ଅଜା ଏକାଦଶୀ, ପଦ୍ମା ଏକାଦଶୀ(ପୁତ୍ରଦା), ଇନ୍ଦିରା ଏକାଦଶୀ, ପାପଙ୍କୁଶା ଏକାଦଶୀ, ରମ୍ଭା ଏକାଦଶୀ ଓ ପ୍ରବୋଧିନୀ ଏକାଦଶୀ ଅନ୍ୟତମ।


କୃଷ୍ଣ ଓ ଶୁକ୍ଳପକ୍ଷର ଏକାଦଶୀ ତିଥିକୁ ହରିବାସର କୁହାଯାଏ । ବର୍ଷକର ୨୪ଟି ଏକାଦଶୀ ମଧ୍ୟରୁ ୪ଟି ବଡ ଏକାଦଶୀ ର ମହତ୍ଵ ଅଧିକ।

ହରିଭକ୍ତିବିଳାସ ଗ୍ରନ୍ଥ ମତରେ ଏକାଦଶୀ ଆଠ ପ୍ରକାର
-ଯେଉଁ ଏକାଦଶୀର ୬୦ ଦଣ୍ଡରୁ ଅଧିକ ପର ଦିବସକୁ ଥାଏ ତାକୁ ଉନ୍ନୀଳନୀ କୁହାଯାଏ
-ଯେଉଁ ଏକାଦଶୀ ୬୦ଦଣ୍ଡରୁ କମି ପର ଦିନକୁ ଥାଏ ତାକୁ ବ୍ୟଞ୍ଜଳୀ କୁହାଯାଏ
-ସୂର୍ଯ୍ୟ ଉଦୟ କାଳରେ ଏକାଦଶୀ, ତତ୍‌ପରେ ଦ୍ୱାଦଶୀ ଓ ଅନ୍ତେ ତ୍ରୟୋଦଶୀ କୁ ତ୍ରିସ୍ପୃଶା କୁହାଯାଏ
-ଯେଉଁ ଏକାଦଶୀର ପରବର୍ତ୍ତୀ ପୂର୍ଣ୍ଣିମା ବା ଅମାବାସ୍ୟା ୬୦ ଦଣ୍ଡରୁ ଅଧିକ ଥାଏ ତାକୁ ପକ୍ଷବର୍ଦ୍ଧିନୀ କୁହାଯାଏ
-ଯେବେ ଶୁକ୍ଳ ଦ୍ୱାଦଶୀରେ ପୁନର୍ବସୁ ନକ୍ଷତ୍ର ପଡ଼େ ତାକୁ ଜୟା ଏବଂ ଶୁକ୍ଳ ଦ୍ୱାଦଶୀରେ ଶ୍ରବଣାନକ୍ଷତ୍ରଯୁକ୍ତ ହୁଏ ତାକୁ ବିଜୟା କୁହାଯାଏ
-ଯେବେ ଶୁକ୍ଳ ଦ୍ୱାଦଶୀରେ ରୋହିଣୀ ନକ୍ଷତ୍ର ପଡ଼େ ତାକୁ ଜୟନ୍ତୀ କୁହାଯାଏ
-ଯେବେ ଶୁକ୍ଳ ଦ୍ୱାଦଶୀରେ ପୁଷ୍ୟ ନକ୍ଷତ୍ର ପଡ଼େ ତାକୁ ପାପନାଶନୀ/ପାପମୋଚନୀ କୁହାଯାଏ
ଗୁରୁବାର ଏକାଦଶୀ ପଡ଼ିଲେ ଲକ୍ଷ୍ମୀନାରାୟଣ ବ୍ରତ ଓ ରବିବାର ଏକାଦଶୀ ହେଲେ ରବିନାରାୟଣ ବ୍ରତ ଅନିବାର୍ଯ୍ୟ ଅଟେ।



ପାର୍ଶ୍ୱପରିବର୍ତ୍ତନ ଏକାଦଶୀ:
ଶୟନ ଏକାଦଶୀର ପରବର୍ତ୍ତୀ ବଡ଼ ଏକାଦଶୀ । ପୌରାଣିକ ମତାନୁସାରେ ଏହି ଦିନ ବିଷ୍ଣୁ ଶୋଇଥିବା ଅବସ୍ଥାରେ ବାଆଁପାଖରୁ ଡାହାଣ ପାଖକୁ କଡ଼ ଲେଉଟାନ୍ତି, ଏଣୁ ଏହାକୁ ପାର୍ଶ୍ୱପରିବର୍ତ୍ତନ ଏକାଦଶୀ କୁହାଯାଏ।

ଭୌମ୍ୟ ବା ଭୈମୀ ଏକାଦଶୀ:
କିମ୍ବଦନ୍ତୀ ଅନୁସାରେ ଏକଦା ପାଣ୍ଡବମାନଙ୍କ ଅଜ୍ଞାତବାସ ସମୟରେ ମାଘ ଶୁକ୍ଳ ଏକାଦଶୀ ତିଥି ସମୟ; ଦ୍ରୌପଦୀ ଏହି ଏକାଦଶୀ ବ୍ରତ ରଖିଥିଲେ। ବ୍ରତର ନୀତି ଅନୁସାରେ ବିଷ୍ଣୁଙ୍କ ଦର୍ଶନ ପରେ ଜଳଗ୍ରହଣ କରାଯାଏ, କିନ୍ତୁ ଭୌମ୍ୟାସୁର ବିଷ୍ଣୁଙ୍କୁ ପାତାଳପୁରରେ ଲୁଚାଇ ରଖିଥିବାରୁ ଦ୍ରୌପଦୀ ବିଷ୍ଣୁଙ୍କ ଦର୍ଶନ ପାଇନଥିଲେ। ପାଣ୍ଡବମାନେ ଧ୍ୟାନଯୋଗେ ଏକଥା ଜାଣିବା ପରେ ଭୌମ୍ୟାସୁରକୁ ବଦ୍ଧ କରି ବିଷ୍ଣୁଙ୍କୁ ଉଦ୍ଧାର କରିଥିଲେ।
ଏହିଦିନ ନିଆଳି ସ୍ଥିତ ପୌରାଣିକ ମାଧବାନନ୍ଦଜୀଉ ପୀଠରେ ଶତାଧିକ ଶ୍ରଦ୍ଧାଳୁ ପୁଣ୍ୟତୋୟା ପ୍ରାଚୀନଦୀର ପାଣ୍ଡବ ତୀର୍ଥରେ ବୁଡ଼ ପକାଇଥାନ୍ତି।

ଏକାଦଶୀ ହିନ୍ଦୁମାନଙ୍କର ଏକ ପବିତ୍ର ବ୍ରତ, ଏଣୁ ଏହି ଦିନ ଶରୀର ଓ ମନରେ ଶୁଦ୍ଧ ରଖି କ୍ରୀଡା, ନିଦ୍ରା, ମଦ୍ୟପାନ, ପରନିନ୍ଦା, ଅସୂୟା, ଚୋରି, ହିଂସା, ରତି, କ୍ରୋଧ, ଅସତ୍ୟଭାଷଣ ପରି ଏଗାରଟିରୁ କୁକର୍ମ ରୁ ବିରତ ରହିବା ଉଚିତ। ପୁତ୍ରବାନ ତଥା ଗୃହସ୍ଥ କେବଳ ଶୁକ୍ଳ ଏକାଦଶୀ ଏବଂ ବାନପ୍ରସ୍ଥ ସନ୍ନ୍ୟାସୀ ଓ ବିଧବା ଉଭୟ ଏକାଦଶୀ କରିପାରିବେ ।
ବୈଜ୍ଞାନିକ ଦୃଷ୍ଟିକୋଣରୁ ଏକାଦଶୀ ପାଳନଦ୍ୱାରା ପେଟକୁ ବିଶ୍ରାମ ମିଳେ ଓ ପାକାଗ୍ନିକୁ ସକ୍ରିୟ କରାଏ । ଫଳରେ ଅଜୀର୍ଣ୍ଣ, ଉଦରଶୂଳ, ଅଗ୍ନିମାନ୍ଦ୍ୟ ଆଦି ରୋଗରୁ ରକ୍ଷା ମିଳିଥାଏ।
 ଶାସ୍ତ୍ରୀୟବିଚାରରେ ଚାନ୍ଦ୍ରାୟଣ ବ୍ରତକୁ ନୈମିତ୍ତିକ ବ୍ରତ କୁହାଯାଏ ଏବଂ ଏହାଦ୍ୱାରା ପୂର୍ବକୃତ ପାପ କ୍ଷୟ ତଥା ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୁଏ । ମାତ୍ର ଏକାଦଶୀ ପରି ନିତ୍ୟ ବ୍ରତରେ ପୁଣ୍ୟ ସଞ୍ଚୟ ହୁଏ । କେତେଗୁଡିଏ ଏକାଦଶୀରେ ଏକଭୁକ୍ତ ବା ବେଳାଏ ଖାଇ ପାଳନ କରାଯାଏ ମାତ୍ର ଅନ୍ୟ କେତେଗୁଡ଼ିଏ ଏକାଦଶୀ ଅନ୍ନଜଳ ସମ୍ପୂର୍ଣ୍ଣ ତ୍ୟାଗକରି ପାଳନର ବିଧି ରହିଛି, ଏଗୁଡ଼ିକୁ ନିର୍ଜଳା କୁହାଯାଏ।

ଚିତ୍ରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ ଚୈତ୍ର ବା ଚଇତ୍ର ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ଫାଲଗୁନ ଓ ପରବର୍ତ୍ତୀ ମାସ ବୈଶାଖ; ସମ୍ବତ ଗଣନାନୁସାରେ ଏହା ବର୍ଷର ପ୍ରଥମ ମାସ । ଚୈତ୍ର ବସନ୍ତ ଋତୁର ଦ୍ୱିତୀୟ ମାସ।
 ଚୈତ୍ର ମାସର କୃଷ୍ଣ ପକ୍ଷ ର ଏକାଦଶୀ ବ୍ରତ ପାଳନ ର ପ୍ରଭାବ ଦ୍ଵାରା ମନୁଷ୍ୟ ର ସମସ୍ତ ପାପ କ୍ଷୟ ହୋଇଥାଏ, ଏଣୁ ଏହାକୁ ପାପମୋଚନୀ ଏକାଦଶୀ କୁହାଯାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂର୍ଣ୍ଣ-ଚତୁର୍ଭୁଜ ରୂପ କୁ ସ୍ମରଣ କରି ଶୁଦ୍ଧ ଚିତ୍ତ ରେ ବ୍ରତ ରଖାଯାଏ। ସ୍ଵୟଂ ଭଗବାନ ବିଷ୍ଣୁ(ଶ୍ରୀ କୃଷ୍ଣ ରୂପରେ) ପାଣ୍ଡବ ଙ୍କୁ ଏହି ବ୍ରତ ର ମହତ୍ଵ ଓ ପାଳନ ବିଧି ବତାଇଥିଲେ, ଏହି ବ୍ରତ କୁ ସପୂର୍ଣ ବିଧି ଓ ନିର୍ଭୁଲ ନୀତି ଅନୁସାରେ ପାଳନ ଦ୍ଵାରା ତଥା ଏହି ବ୍ରତକଥା ର ପଠନ ଓ ଶ୍ରବଣ ର ପ୍ରଭାବ ରେ ଭକ୍ତ ର ବର୍ତମାନ ଓ ପୂର୍ବଜନ୍ମ କୃତ ସମସ୍ତ ପାପ କ୍ଷୟ ହୋଇଯାଇଥାଏ। 




ପୌରଣିକ କିମ୍ବଦନ୍ତୀ ଅନୁସାରେ "ଏକଦା ଚୈତ୍ରରଥ ବଣରେ ଭ୍ରମଣ କରୁଥିବାବେଳେ ମଞ୍ଜୁଘୋଷା ନାମକ ଏକ ଅପସରା ନିଜ ଅପ୍ସରୀ ଭାବ ଭଙ୍ଗୀରେ ମାଧବ ମୁନିଙ୍କୁ ବଶ କରିଥିଲେ। ଅପ୍ସରା ସଂସର୍ଗ ରୁ ବିରତ ହେବାପରେ ନିଜ ତପସ୍ୟା ଭ୍ରଷ୍ଟ ହେବାର ଜ୍ଞାତ ତପସ୍ୱୀ, ଅପସରାଙ୍କୁ ପିଶାଚ ହେବାକୁ ଅଭିଶାପ ଦେଲେ । ଅପସରାଙ୍କ ଆକୁଳ ପ୍ରାର୍ଥନା ଶୁଣି ତପସ୍ୱୀ ପାପମୋଚନୀ ଏକାଦଶୀ  ବ୍ରତ କରିବାକୁ ପରାମର୍ଶ ଦେଇଥିଲେ । ବ୍ରତ ସମ୍ପୂର୍ଣ୍ଣ କରି ଅପସରା ପିଶାଚି ରୂପ ତ୍ୟାଗ କରି ପୁନଃ ସ୍ଵ-ରୂପ ପ୍ରାପ୍ତ ହୋଇ ସ୍ୱର୍ଗ ଚାଲିଯାଇଥିଲେ । ମାଧବ ମୁନି ମଧ୍ୟ ଏହି ଏକାଦଶୀ ବ୍ରତ କରି ଅପ୍ସରା ସଂସର୍ଗ ଜନିତ ପାପରୁ ମୁକ୍ତି ପାଇଥିଲେ।
କୃତାକୃତ୍ୟ ଧର୍ମ ବିରତ ଦୁଷ୍କର୍ମ ଏବଂ ଅନ୍ୟର ଧର୍ମ କ୍ଷୟ ପ୍ରୟାସ ଜନିତ ପାପ ରୁ ସମ୍ପୂର୍ଣ ମୁକ୍ତି କେବଳ ଏହି ପାପମୋଚନୀ ଏକାଦଶୀ ଦ୍ଵାରା ହିନ ସମ୍ଭବ ହେଲା।
ଏହି ବ୍ରତ ନିଷ୍ଠା ର ସହ ପାଳନ ଦ୍ଵାରା ବ୍ରହ୍ମା ହତ୍ୟା, ଅଗମ୍ୟା ଗମନ, ଚୋରୀ ତଥା ମଦ୍ୟପାନ ଜନିତ ପାପ ରୁ ମୁକ୍ତି ମିଳି ଥାଏ। ତଥା ଏକ ସହସ୍ର ଗୋଦାନ ର ପୂଣ୍ୟ ପ୍ରାପ୍ତ ହୋଇଥାଏ, ଓ ସ୍ଵର୍ଗ-ପ୍ରାପ୍ତି ହୋଇଥାଏ। ସ୍କନ୍ଧ-ପୂରଣ ଅନୁସାରେ ଚିତ୍ରା ନକ୍ଷତ୍ର ଯୁକ୍ତ ଏହି ଏକାଦଶୀ ର ପାଳନଦ୍ଵାରା ମନୁଷ୍ୟ ତାର ସମସ୍ତ ପାପ କ୍ଷୟ କରିବା ସହିତ ନିଜର ସମସ୍ତ ମନୋବାଞ୍ଛା ପୂର୍ଣା କରିପାରେ।
ବ୍ରହ୍ମ-ପୂରଣ ବର୍ଣ୍ଣିତ ତଥ୍ୟାନୁସାରେ ପାପମୋଚନୀ ଏକାଦଶୀ ର ପାଳନ ଦ୍ଵାରା ସମସ୍ତ ଦୁଃଖ ଦୂର ହୋଇ ସକଳ ଇଚ୍ଛା ପୂର୍ଣ୍ଣ ହୋଇଥାଏ, ଏହି ସମୟ ରେ ସୂର୍ଯ୍ୟ ତଥା ଅନ୍ୟ ଗ୍ରହ ର ସ୍ଥାନ ପରିବର୍ତନ ହେତୁ ମନୁଷ୍ୟ ର ଇନ୍ଦ୍ରିୟ ରେ ପରିବର୍ତନ ଘଟିଥାଏ। ଏଣୁ ଏହି ବ୍ରତ ହିନ୍ଦୁ ସମେତ ସମସ୍ତ ମନୁଷ୍ୟ ପାଳନ କରିବା ଉଚିତ।



ଏକାଦଶୀ ବ୍ରତ ପାଳନ ର ମାହାତ୍ମ୍ୟ ଅଶେଷ !!!
ଶୁଭ ଏକାଦଶୀ !!!


Comments

Popular posts from this blog

ଜାଣନ୍ତୁ ଏଥର , ମହାଶିବରାତ୍ରି /ଜାଗର ପୂଜା କରିବାର ସଠିକ୍‌ ବିଧାନ ଓ ଜାଣିବା କଥା

ଦୀପାବଳୀ

ନାଗ ଚତୁର୍ଥୀ ବା ନାଗଲ ଚତୁର୍ଥୀ